
ପୁରୀ : ପୁରୀ ସଦର ଥାନା ଅନ୍ତର୍ଗତ ବନ୍ଦାଳ ଛକରେ ୨୦୧୧ ମସିହାରେ ହୋଇଥିବା ଅମିତ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ନିହାର ରଂଜନ ପ୍ରଧାନ ଓରଫ ମିଟୁକୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ଜିଲ୍ଲା ଦୌରାଜଜ୍ ଅଶ୍ୱିନୀ ମହାପାତ୍ର ୨୪ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଏହି ରାୟ ଦେଇଛନ୍ତି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଓକିଲ ବିଜୟ ମିଶ୍ର ଓ ପ୍ରଦୀପ ଦାସ ପରିଚାଳନା କରିଥିଲେ। ତେବେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତର ସହଯୋଗୀ ବାବିନା ଓରଫ ଶଶାଙ୍କ ଶେଖର ବଳିଆରସିଂହକୁ ବିଚାରପତି ବିନା ଦୋଷରେ ଖଲାସ କରିଛନ୍ତି।
ଗତ ୨୦୧୧ ମସିହା ମେ ମାସ ୧୩ ତାରିଖ ଦିନ ସଦର ଥାନା ଅନ୍ତର୍ଗତ ବନ୍ଦାଳ ଛକରେ ଏକ ଗୁଳିକାଣ୍ଡ ହୋଇଥିଲା। ଏହି ଗୁଳିକାଣ୍ଡରେ ବନ୍ଦାଳର ଅମିତ ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା। ସେଦିନ ପୂର୍ବାହ୍ନରେ ବ୍ରହ୍ମଗିରି ରୋଡ୍ସ୍ଥିତ ବାବାଜୀ ମଠରେ ବନ୍ଦାଳର ମିଟୁ ଓରଫ ନିହାର ରଞ୍ଜନ ପ୍ରଧାନ, ଅମିତ ପ୍ରଧାନ, କାଳିଆ ଓରଫ ପ୍ରକାଶ ଚନ୍ଦ୍ର ନାୟକ, ମୁନା ପଣ୍ଡା ଓରଫ ବିଶ୍ୱଜିତ ଉପାଧ୍ୟାୟ, କଣ୍ଠିଆ ଓରଫ ନିଳକଣ୍ଠ ପରିଡ଼ା ଏବଂ ବାବିନା ଓରଫ ଶଶାଙ୍କ ଶେଖର ବଳିଆରସିଂହ ପ୍ରମୁଖ ବସି ମଦ ପିଇଥିଲେ। ଏହି ସମୟରେ ମିଟୁ ପାଖରେ ରଖିଥିବା ମାଉଜରକୁ ମାଗାଜିନପୂର୍ଣ୍ଣ ଗୁଳି କାଢ଼ି ଅମିତକୁ ଧରିବାକୁ ଦେଇଥିଲା। ଏହା ପରେ ସେମାନେ ବ୍ରହ୍ମଗିରିସ୍ଥିତ ଏକ ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଉଥିଲେ। ମାତ୍ର ଆରଡ଼ା ଛକରେ ସେମାନେ କାଳିଆ ଓରଫ ପ୍ରକାଶ ଚନ୍ଦ୍ର ନାୟକଙ୍କୁ ଦେଖା ହେବା ପରେ ସେଠାରେ ଉଭୟଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା। ତେଣୁ ଏଥିରେ ଉତ୍କ୍ଷିପ୍ତ ହୋଇ ଅମିତଙ୍କୁ ମିଟୁ ମାଉଜର ମାଗିଥିଲା। ଅମିତ ମାଉଜର ଦେବାକୁ ମନା କରିବାରୁ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ମୁନା ପଣ୍ଡା ପ୍ରତିବାଦ କରିବାରୁ ମିଟୁ ରାଗିଯାଇ ଅମିତ ଠାରୁ ମାଉଜର ଆଣି ସେଥିରେ ମାଗାଜିନ ପୂରାଇ ଫାଇରିଂ କରିଥିଲା। ଗୋଟିଏ ଗୁଳି ମୁନା ପଣ୍ଡାଙ୍କ ଆଣ୍ଠୁରେ ସାମାନ୍ୟ ଭାବେ ବାଜିଥିଲା। ଏବଂ ଅନ୍ୟ ଦୁଇଟି ଗୁଳି ଅମିତଙ୍କ ଦୁଇ ଆଣ୍ଠୁରେ ବାଜିଥିଲା। ଗୁଳିକାଣ୍ଡ ହେବାରୁ ସେଠାରୁ ସମସ୍ତେ ଛତ୍ର ଭଙ୍ଗ ଦେଇଥିବା ବେଳେ ମିଟୁକୁ ଏକ ବାଇକରେ ବାବିନା ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।
ଏହାପରେ ଅମିତଙ୍କୁ ମୁନା ଓ କଣ୍ଠିଆ ଏକ ବାଇକରେ ଡାକ୍ତରଖାନାକୁ ନେଉଥିଲେ। ସେମାନେ ବନ୍ଦାଳ ଛକରେ ପହଞ୍ଚିବା ବେଳକୁ ସମ୍ମୁଖରୁ ପୁଣି ମିଟୁକୁ ବାଇକରେ ବସାଇ ବାବିନା ସେଠାରେ ପହଞ୍ଚିଥିଲା। ମିଟୁକୁ ଦେଖି ମୁନା ଓ କଣ୍ଠିଆ ବାଇକ ଛାଡ଼ି ଦୌଡ଼ିଥିବା ବେଳେ ଗାଡ଼ିରୁ ଅମିତ ତଳେ ପଡ଼ିଯାଇଥିଲା। ଫଳରେ ମିଟୁ ତାଙ୍କୁ ପୁଣି ଫାଇରିଂ କରି ହତ୍ୟା କରିଥିଲା। ଏହାପରେ ମିଟୁକୁ ବାଇକରେ ବସାଇ ବାବିନା ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଅମିତଙ୍କୁ ପରିବାର ଲୋକେ ଡାକ୍ତରଖାନାକୁ ନେବାରେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ ଅମିତଙ୍କ ବାପା ଜଳନ୍ଧର ପ୍ରଧାନ ସଦର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଏହି ମାମଲାର ବିଚାର କରି ମାନ୍ୟବର ଜିଲ୍ଲା ଦୌରାଜଜ୍ ଶ୍ରୀ ମହାପାତ୍ର ଅଭିଯୁକ୍ତ ମିଟୁକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।