![]() କୋରାପୁଟ:ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ରଣନୀତି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ବର ପ୍ରଧାନ ଓ ରାଜେନ୍ଦ୍ର ମାଝୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଅରୁଣ କୁମାର ପାଢୀ ପ୍ରମୁଖଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ରଣନୀତି ପ୍ରସ୍ତୁତ କରିଥିଲେ । କୋରାପୁଟ ଜିଲ୍ଲାର ଜୟପୁର ଉପଖଣ୍ଡରେ ବନ୍ୟା ସମ୍ଭାବନା ରହିଥିବା ବେଳେ ଏହାର ମୁକାବିଲା ନିମନ୍ତେ ରଣନୀତି ପ୍ରସ୍ତୁତ କରାଯାଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ବନ୍ୟା ଓ ବାତ୍ୟା ସହିତ କୋରାପୁଟ ଜିଲ୍ଲାରେ ଜଙ୍ଗଲ ନଷ୍ଟ ଯୋଗୁଁ ଭୂସ୍ଖଳନ ଜିଲ୍ଲା ପାଇଁ ଆହ୍ବାନ ଆଣି ଦେଇଛି ବୋଲି ସେ ସୂଚନା ଦେଇଛନ୍ତି । ଏଥିପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି। ଯଦି ଭୂସ୍ଖଳନ ହୁଏ ତେବେ ଅସୁରକ୍ଷିତ ସ୍ଥାନରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ବୋଲି ସେ ପ୍ରକାଶ କରିଛନ୍ତି । ଗତବର୍ଷ ବାତ୍ୟାରେ ରାଲେଗଡାଠାରୁ ଶୁଙ୍କି ଜାତୀୟ ରାଜପଥରେ ଭୂସ୍ଖଳନ ହୋଇ ରାସ୍ତାରେ ବଡ ପଥର ପଡିଯାଇଥିଲା । ଉକ୍ତ ପଥରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ହଟାଇ ଦିଆ ଯାଇଛି । ଏହାର ମରାମତି ଓ ସୁରକ୍ଷା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଏକ ଅଟକଳ ପ୍ରସ୍ତୁତ କରାଯାଇ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗ କରୁଥିବା ବେଳେ ଅର୍ଥ ମଞ୍ଜୁର ହୋଇ ଆସିଲେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜଳ ବିଭଜିକା ପ୍ରକଳ୍ପ ନିର୍ଦ୍ଦେଶକ ଅରୁଣ କୁମାର ଦାସ, ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନ, ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ କୁମାର ପାଣିଗ୍ରାହୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସିମାଞ୍ଚଳ ମହାପାତ୍ର, ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ବିଦ୍ୟୁଲତା ପାତ୍ର, କୋରାପୁଟ ଅଗ୍ନିଶମ ବିଭାଗର ସେକ୍ସନ ଅଫିସର ସଂଜୀବ କୁମାର ବେହେରା, କୋରାପୁଟ ପୌର ପରିଷଦ ନିର୍ବାହୀ ଅଧିକାରୀ ସ୍ଵସ୍ତିକ ଜମାଦାର, ସହାୟକ ଉଦ୍ୟାନ ଅଧିକାରୀ ମୋନାଲିସା ପାତ୍ର,କୋରାପୁଟ ଟାଟା ପାୱାର ନିର୍ବାହୀ ଯନ୍ତ୍ରୀ ଭଗବାନ ପ୍ରଧାନ, କୋରାପୁଟ ବନଖଣ୍ଡର ଏସିଏଫ ଏ.ଉମା ମହେଶ, ଏଡିଭିଓ ଡାକ୍ତର ସନ୍ତୋଷ କୁମାର ପାଣିଗ୍ରାହୀ, ଜିଲ୍ଲା ସ୍ବାସ୍ଥ୍ୟ ମିଶନର ଡିପିଏମ ଶୁଭକାନ୍ତ ଗନ୍ତାୟତ, ଗ୍ରାମୀଣ ପାନୀୟ ଜଳ ଯୋଗାଣ ଓ ପରିମଳ ଅଧିକ୍ଷଣ ଯନ୍ତ୍ରୀ ନାରାୟଣ ପ୍ରାସାଦ ଗାନ୍ଧୀ, ସୁନାବେଡା ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀ ସୌମାର୍ଜିନି ସେଠୀ, କୋରାପୁଟ ରାସ୍ତା ଓ କୋଠାବାଡି ଡିଭିଜନର ସହାୟକ ନିର୍ବାହୀ ଯନ୍ତ୍ରୀ କୈଳାସ କୁମାର ମହାରଣା ଓ ଜୟପୁର ଡିଭିଜନର ସୋମନାଥ ତ୍ରୀପାଠୀ, ଅପର କୋଲାବ ଅଧିକ୍ଷଣ ଯନ୍ତ୍ରୀ ସରୋଜ କୁମାର ସାହୁ ପ୍ରମୁଖ ବୈଠକରେ ଯୋଗଦେଇଥିଲେ। କୋରାପୁଟ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସହଯୋଗ କରିଥିଲେ। ବେସାମରିକ ପ୍ରତିରକ୍ଷା ବାହିନୀର ସ୍ବେଛାସେବୀ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନଙ୍କ ଦ୍ବାରା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ବ୍ୟବହୃତ ମେସିନ ଗୁଡିକର ପ୍ରଦର୍ଶନ କରାଯାଇଥିଲା। ରିପୋର୍ଟ:ମଦନ ମୋହନ ସାହୁ, କୋରାପୁଟ |
![]() |