![]() କୋରାପୁଟ:କୋରାପୁଟ ସଦର ଥାନା ଅଧିନସ୍ଥ ବଗେଇପଦର ଗ୍ରାମ ନିକଟରୁ ଗତମାସ ୨୯ ତାରିଖରେ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣାରେ ପୁଲିସ୍ ନାବାଳକ ପୁଅ ସହ ବାପାକୁ ଗିରଫ କରିବାରେ ସଫଳ ହୋଇଛି । ଘଟଣା ସମ୍ପର୍କରେ କୋରାପୁଟ ଅତିରିକ୍ତ ଏସପି ଉତ୍କଳ କେଶରୀ ଦାଶ ସଦର ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମିଳନୀରେ ଦେଇଥିବା ସୂଚନା ଅନୁଯାଇ ଗିରଫ ମୁଖ୍ୟ ଅଭିଯୁକ୍ତ କେ.ସୂର୍ଯ୍ୟ ପ୍ରକାଶ ରାଓ ଜଣେ ଅଭ୍ୟାସଗତ ଅପରାଧୀ ଓ ତା ବିରୁଦ୍ଧରେ ଆନ୍ଧ୍ର ପ୍ରଦେଶର ଶ୍ରୀକାକୂଲମ ଜିଲ୍ଲାରେ ୨୦ଟି ଲୁଟ୍,ଚୋରି, ଛିନତାଇ ମାମଲା ରହିଥିବା କହିଛନ୍ତି । ଅଭିଯୁକ୍ତ ପ୍ରକାଶ ରାଓର ଘର ଆନ୍ଧ୍ର ପ୍ରଦେଶରେ ହୋଇଥିବାବେଳେ ସେ କିଛି ବର୍ଷ ହେବ ଜୟପୁର ସହରର ଇରିଗେସନ୍ କଲୋନୀରେ ରହି ଜଳଖିଆ ଓ ତେଜରାତି ଦୋକାନ କରି ରହିଆସୁଥିଲା । ମୃତ ଅମୂଲ୍ୟ ତ୍ରିପାଠୀଙ୍କ ନିକଟରୁ ସେ ସୁନାମୁଦି,ଟଙ୍କା,ମୋଟର ସାଇକଲ୍ ଲୁଟିବାକୁ ହତ୍ୟା କରିଥିବା ଅଭିଯୁକ୍ତ ପ୍ରକାଶ ରାଓ ପୁଲିସ ନିକଟରେ ସ୍ୱୀକାର କରିଥିବା ଅତିରିକ୍ତ ଏସପି ସୂଚନା ଦେଇଛନ୍ତି । ଗତ ମାସ ୨୮ ତାରିଖ ରାତି ୮-୪୦ରେ ଜୟପୁର ପାୱାର୍ ହାଉସ କଲୋନୀର ଅମୂଲ୍ୟ ତ୍ରିପାଠୀ ସହ ହତ୍ୟାକାରୀ ସୂର୍ଯ୍ୟ ପ୍ରକାଶ ରାଓର ଜୟପୁରର ହୋଟେଲ୍ ମଧୁମତି ବାରରେ ଦେଖା ହୋଇଥିଲା । ସେତେବେଳେ ଅମୂଲ୍ୟ ତ୍ରିପାଠୀ ବାରରେ ମଦ୍ୟପାନ କରି ପଇସା ଦେବା ଘଟଣାକୁ ନେଇ ବାର୍ ମେନେଜରଙ୍କ ସହ କଥା କଟାକଟି ଚାଲିଥିବାବେଳେ ହତ୍ୟାକାରୀ ସୂର୍ଯ୍ୟ ପ୍ରକାଶ ରାଓ ସେଠାରେ ପହଞ୍ଚି ଉଭୟଙ୍କୁ ବୁଝାସୁଝା କରି ନିଶାଶକ୍ତ ଅବସ୍ଥାରେ ଥିବା ଅମୂଲ୍ୟକୁ ଅମୂଲ୍ୟଙ୍କ ମୋଟର ସାଇକଲ (ଓଡି-୧୦ସି ୬୬୭୭) ବସାଇ ନେଇ ଯାଇଥିଲା । ଅମୂଲ୍ୟକୁ ହତ୍ୟାକାରୀ ସୂର୍ଯ୍ୟ ପ୍ରକାଶ ବଗେଇପଦର ଗ୍ରାମ ନିକଟ ଜଙ୍ଗଲକୁ ନେଇ ସେଠାରେ ଏକ ପଥରରେ ମୁଣ୍ଡକୁ ଆଘାତ କରି ହତ୍ୟା କରିବା ପରେ ହାତରୁ ସୁନାମୁଦି,ମନିପର୍ସରୁ ୮୦୦ ଟଙ୍କା,ମୋବାଇଲ୍ ଫୋନ୍ ଓ ମୋଟର ସାଇକଲ୍ ନେଇ ପଳାଇବାକୁ ଉଦ୍ୟମ କରିଥିଲା, ହେଲେ ମୋଟର ସାଇକଲର ପେଟ୍ରୋଲ୍ ସରି ଯିବାରୁ ସେ ଘରକୁ ଫୋନ କରି ପୁଅ ହାତରେ ପେଟ୍ରେଲ୍ ମଗାଇଥିଲା । ପୁଅ ନେଇଥିବା ପେଟ୍ରୋଲରୁ କିଛି ବାଇକରେ ପକାଇ ଆଉ ବଳକା ପେଟ୍ରୋଲକୁ ହତ୍ୟା ପ୍ରମାଣ ନଷ୍ଟ କରିବାକୁ ଅମୂଲ୍ୟଙ୍କ ମୃତଦେହ ଉପରେ ପକାଇ ପୋଡି ଦେଇଥିଲା । ପରବର୍ତି କାଳରେ ଅଭିଯୁକ୍ତ କେ.ସୂର୍ଯ୍ୟ ପ୍ରକାଶ ରାଓ ଓ ପୁଅ ଦୁଇଟି ମୋଟର ସାଇକଲରେ କୋରାପୁଟ ପହଞ୍ଚିଥିଲେ । କୋରାପୁଟରେ ନିଜ ବାଇକ୍ ରଖି ଉଭୟ ବାପା ପୁଅ ଅମୂଲ୍ୟର ବାଇକରେ ସେମିଲିଗୁଡା ଯାଇଥିଲେ ଓ ରାସ୍ତାରେ ପଡୁଥିବା ନଦୀ ମଧ୍ୟକୁ ମୃତ ଅମୁଲ୍ୟଙ୍କ ମୋବାଇଲ ଫୋନଟି କୁ ଫିଙ୍ଗିଦେଇଥିଲେ । ସେମିଳିଗୁଡାରେ ପହଞ୍ଚି ବାଇକକୁ ଛାଡି ବସରେ କୋରାପୁଟ ଫେରି ନିଜ ମୋଟର ସାଇକଲ୍ ନେଇ ବାପା ପୁଅ ଜୟପୁର ଫେରିଥିଲେ। ପରଦିନ ସୂର୍ଯ୍ୟ ପ୍ରକାଶ ଅମୂଲର ସୁନାମୁଦି କୁ ଜଣେ ସୁନାରୀ ନିକଟରେ ୧୫୦୦୦ ଟଙ୍କାରେ ବିକ୍ରି କରି ସେମିଲିଗୁଡାରେ ଛାଡିଥିବା ଅମୂଲ୍ୟର ବାଇକ୍ ନେଇ ଆନ୍ଧ୍ର ପ୍ରଦେଶର ତୁନିକୁ ଚାଲି ଯାଇଥିଲା । ବାଇକ ତୁନିର ଏକ ପାର୍କିଂ ସ୍ଥାନରେ ରଖି ଅଭିଯୁକ୍ତ ସୂର୍ଯ୍ୟ ପ୍ରକାଶ ବସରେ ଜୟପୁର ଫେରି ଆସିଥିବାବେଳେ ଆଜି ପୁଲିସ୍ ମୁଖ୍ୟ ଅଭିଯୁକ୍ତ କେ.ସୂର୍ଯ୍ୟ ପ୍ରକାଶ ରାଓ ଓ ନାବାଳକ ପୁଅକୁ ଗିରଫ କରିବାରେ ସଫଳ ହୋଇଥିଲେ । ମୁଖ୍ୟ ଅଭିଯୁକ୍ତକୁ କୋର୍ଟ ଚାଲାଣ କରା ଯାଇଥିବାବେଳେ ନାବାଳକ ପୁଅକୁ ଜୁଭେନାଇଲ୍ ଜଷ୍ଟିସ ବୋର୍ଡ ନିକଟରେ ହାଜର କରା ଯାଇଛି । ସୁନାମୁଦି କିଣିଥିବା ସୁନାରୀକୁ ପୁଲିସ୍ ଅଟକ ରଖି ଅଧିକ ତଦନ୍ତ କରୁଥିବା ଜଣା ପଡିଛି । ଆଜିର ଏହି ସାମ୍ବାଦିକ ସମିଳନୀରେ କୋରାପୁଟ ଏସଡିପିଓ ମନୋଜ କୁମାର ପୁଜାରୀ,ସଦର ଥାନା ଅଧିକାରୀ କୀରଣବାଳା ସାମଲ୍ ଉପସ୍ଥିତ ଥିଲେ । ଏସଡିପିଓ ମନୋଜ ପୁଜାରୀ,ଥାନା ଅଧିକାରୀ କୀରଣବାଳା ସାମଲ୍ଙ୍କ ସମେତ ସାଇବର୍ ସେଲ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ବିଭିନ୍ନ ଜାଗାର ସିସିଟିଭି ଫୁଟେଜକୁ ଆଧାର କରି ହତ୍ୟାକରୀକୁ ଗିରଫ କରିବାରେ ପୁଲିସ୍ ସଫଳ ହୋଇଥିବା ଅତିରିକ୍ତ ଏସପି ସୂଚନା ଦେଇଛନ୍ତି । ସୂଚନା ଥାଉକି, ଗତମାସ ୨୯ ତାରିଖ ସକାଳେ ବଗେଇପଦର ଗ୍ରାମ ନିକଟରେ ଏକ ଅର୍ଦ୍ଧଦଗ୍ଧ ମୃତଦେହ ପଡି ଥିବା ଦେଖି ଗ୍ରାମବାସୀ କୋରାପୁଟ ସଦର ଥାନାକୁ ଖବର ଦେଇଥିଲେ । କୋରାପୁଟ ଏସଡିପିଓ ମନୋଜ କୁମାର ପୁଜାରୀ,ସଦର ଥାନା ଅଧିକାରୀ କିରଣବାଳା ସାମଲ ଡଗ୍ ସ୍କ୍ୱାର୍ଡ ଓ ସାଇଂଟିଫିକ୍ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଥିଲେ । ତଦନ୍ତ ବେଳେ ଅର୍ଦ୍ଧଦଗ୍ଧ ମୃତଦେହ ଜୟପୁରର ଅମୂଲ୍ୟ ତ୍ରିପାଠୀ ନାମକ ଜଣେ ଯୁବକଙ୍କର ବୋଲି ଜଣା ପଡିଥିଲା । ୨୮ ତାରିଖରୁ ସେ ନିଖୋଜ ଥିବା ପରିବାର ଲୋକେ ଜୟପୁର ଟାଉନ ଥାନାରେ ଅଭିଯୋଗ କରିଥିଲେ । ପାରିପାର୍ଶ୍ବିକ ସ୍ଥିତିରୁ ତାହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ୍ ଜାଣି ପାରି ସଦର ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା ଓ ଆଜି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅମୁଲ୍ୟର ମୃତ୍ୟୁ ବିଷୟର ପ୍ରଦଫାସ କରାଯାଇଥିଲା। ରିପୋର୍ଟ:ମଦନ ମୋହନ ସାହୁ, କୋରାପୁଟ |