![]() କୋରାପୁଟ:ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଚତୁର୍ଧାମୂର୍ତ୍ତୀଙ୍କ ଦେବ ସ୍ନାନ ପୂର୍ଣ୍ଣିମା ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଯାଇଛି ।ଭକ୍ତଙ୍କ ସମାଗମ ମଧ୍ୟରେ ଘଣ୍ଟ ଓ ମୃଦଙ୍ଗର ତାଳେ ତାଳେ ଶ୍ରୀମନ୍ଦିର ରୁ ସ୍ନାନ ମଣ୍ଡପକୁ ଚତୁର୍ଧାମୂର୍ତ୍ତୀ ବିଜେ କରିଥିଲେ । ମନ୍ଦିର ସେବାୟତଙ୍କ ଦ୍ବାରା ସକାଳର ନୀତି କାନ୍ତୀ ସମାପନ କରାଯାଇଥିଲା। ରାତ୍ର ସମସ୍ତ ନୀତିକାନ୍ତି ସରିଲା ପରେ ଶ୍ରୀଜିଉଙ୍କୁ ଶେଣାପଟା ଲାଗି କରାଯାଇଥିଲା । ଦ୍ୱାରପିଠା,ସକାଳ ମଙ୍ଗଳ ଆଳତୀ,ସୂର୍ଯ୍ୟପୂଜା,ଅବକାଶ ନୀତି ଓ ପ୍ରଥମ ଭୋଗ ପରେ ଆଳତୀ କରାଯାଇଥିଲା । ନୀତି ନିୟମ ଅନୁସାରେ ସକାଳ ୯ଘଣ୍ଟାରୁ ୯ଟା ୪୫ ମଧ୍ୟେ ସୁନାକୂଅରୁ ପବିତ୍ର ସ୍ନାନ ନିମନ୍ତେ ୧୦୮ କଳଶରେ ଜଳ ଅଣାଯାଇଥିଲା । ୯-୫୦ ରୁ ୧୧ଟା ୨୦ ମଧ୍ୟେ ସ୍ନାନ ମଣ୍ଡପକୁ ଚତୁର୍ଧାମୂତ୍ତୀଙ୍କର ପହଣ୍ଡି ବିଜେ ଆରମ୍ଭ କରାଯାଇଥିଲା । ୧୨ ଟା ୧୦ରୁ ୧ଟା ୪୦ ମଧ୍ୟରେ ଠାକୁରଙ୍କ ମହାସ୍ନାନ ଅନୁିଷ୍ଠିତ ହୋଇଥିଲା । ନୀତି ଅନୁଯାୟି ଯଜ୍ଞ କରାଯାଇ ମହାପ୍ରଭୁଙ୍କୁ ଗଜାନନ ବେଶରେ ସଜିତ କରାଯାଇଥିଲା । ରାତ୍ର ୯ଟା୩୦ ମିନିଟରୁ ୧୦ଟା ମଧ୍ୟେ ଚତୁର୍ଧାମୂର୍ତ୍ତୀଙ୍କର ଅଣସର ପିଣ୍ଡିକୁ ବିଜେ କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ଆଦିବାସୀ ସମ୍ପ୍ରଦାୟର ପୂଜକଙ୍କ ଦ୍ବାରା ସ୍ନାନଯାତ୍ରା ପରଠାରୁ ଉଭାଯାତ୍ରା ପର୍ଯ୍ୟନ୍ତ ଗୁପ୍ତ ନୀତିକାନ୍ତି କରାଯିବ । ଦୀର୍ଘ ୨ ବର୍ଷ ପରେ କୋଭିଡ କଟକଣା ମୁକ୍ତ ହୋଇଥିବାରୁ ମହାପ୍ରଭୁଙ୍କର ଏହି ଦିବ୍ୟ ଦର୍ଶନ ସକାଶେ ଭକ୍ତଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖାଦେଇଛି ।ଶାବର ଶ୍ରୀକ୍ଷେତ୍ର ଭକ୍ତଙ୍କ ହୁଳହୁଳି ଏବଂ ହରିବୋଲରେ ଧ୍ୱନୀରେ ଚଳଚଞ୍ଚଳ ହୋଇଉଠିଛି । ବିଗତ ୨ବର୍ଷ ହେବ ମହାମାରୀ କରୋନାର ପ୍ରଭାବ ଯୋଗୁଁ ମହାପ୍ରଭୁଙ୍କ ମହାସ୍ନାନ ସହ ଦେବ ଦୁର୍ଲଭ ଗଜାନନ ବେଶ ଦର୍ଶନରୁ ଶ୍ରଦ୍ଧାଳୁ ବଞ୍ଚିତ ଥିଲେ ।ଆଜି ଏହି ଦୁର୍ଲଭ ବେଶ ଦେଖିବା ପାଇଁ ମନ୍ଦିରରେ ପ୍ରବଳ ଜନଗହଳି ଦେଖାଦେଇଥିଲା। ଭକ୍ତଙ୍କ ଗହଳିକୁ ଆଖି ଆଗରେ ରଖି ପୁଲିସ ପ୍ରଶାସନ ତରଫରୁ ଆଇନ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ମହାପ୍ରଭୁଙ୍କର ପବିତ୍ର ଦେବସ୍ନାନ ପୂର୍ଣ୍ଣୀମା ରୀତିନୀତି ଅନୁସାରେ ନିର୍ଦ୍ଧାରିତ ସମୟରେ ଶେଷ ହୋଇଛି ବୋଲି କହିଛନ୍ତି କୋରାପୁଟର ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ । ଜିଲ୍ଲା ପ୍ରଶାସନ,ପୁଲିସ ଓ ମନ୍ଦିର ପ୍ରଶାସନର ମିଳିତ ସହଯୋଗରେ ମହାପ୍ରଭୁଙ୍କର ସ୍ନାନଯାତ୍ରା ଠାରୁ ଘୋଷଯାତ୍ରା ପର୍ଯ୍ୟନ୍ତ ସମସ୍ତ ରୀତିନୀତି କିପରି ସମ୍ପାଦନ ହେବ ସେଥି ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି । ଭକ୍ତ ମାନଙ୍କୁ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ସେ ଅନୁରୋଧ କରିଛନ୍ତି । ରିପୋର୍ଟ:ମଦନ ମୋହନ ସାହୁ, କୋରାପୁଟ |
![]() |