![]() ବ୍ରହ୍ମପୁର:ଆମେ ଯେମିତି ଦୈନନ୍ଦିନ ଜୀବନରେ ଭାତ, ରୁଟି ଖାଇଥାଉ ସେହି ଭଳି ହରିଲାଲ ଖାଉଛନ୍ତି ମୁଠାମୁଠା ବାଲି!ସେ ଏବେ ଗଂଜାମ ଜିଲ୍ଲାରେ ବାଲିଖିଆ ମଣିଷ ଭାବେ ପରିଚିତ।ଭାତ ଖାଇଲା ଭଳି ବିନା କୌଣସି ଦ୍ବିଧାରେ ସେ ଅତି ସହଜରେ ଚୋବାଇ ଚୋବାଇ ଖାଉଛନ୍ତି ବାଲି । ଏଭଳି ବିସ୍ମୟ ବୃଦ୍ଧଙ୍କୁ ନେଇ ସାରା ଗଞ୍ଜାମରେ ଚର୍ଚ୍ଚା।ଅଦ୍ଭୁତ ଘଟଣା ଓ ଜୀବଜନ୍ତୁରେ ପରିପୂର୍ଣ୍ଣ ଏ ଜଗତ । ଆମ ଚାରିପାଖରେ ବେଳେ ବେଳେ ଏମିତି କିଛି ଘଟଣା ଘଟେ, ଯାହାକୁ ଆଖିରେ ନ ଦେଖିଲେ ବିଶ୍ବାସ କରିବା ନିହାତି କଷ୍ଟକର । ସେହିପରି ଜଣେ ବିସ୍ମୟ ବ୍ୟକ୍ତିତ୍ବ ହେଉଛନ୍ତି ଉତ୍ତରପ୍ରଦେଶର ମୂଳ ବାସିନ୍ଦା ହରିଲାଲ ସକସେନା । ଯିଏକି ଦୀର୍ଘ ୩୫ରୁ ୪୦ ବର୍ଷ ଧରି ବାଲି ଖାଇ ଆସୁଛନ୍ତି । ଖାସ କଥା ହେଉଛି ବାଲି ଖାଉଥିଲେ ମଧ୍ୟ ହରିଲାଲଙ୍କୁ କୌଣସି ସମସ୍ୟା ହୁଏ ନାହିଁ । ବରଂ ବାଲି ନ ଖାଇଲେ ସେ ଅସହଜ ମନେ କରନ୍ତି ବୋଲି କହିଛନ୍ତି । ଦୀର୍ଘ ୪୦ବର୍ଷ ଧରି ଦୈନିକ ମୁଠା ମୁଠା ବାଲି ଖାଉଛନ୍ତି ହରିଲାଲ । ଉତ୍ତରପ୍ରଦେଶର ଅରଙ୍ଗାପୁର ଅଞ୍ଚଳର ହେଉଛନ୍ତି ହରିଲାଲ ସକ୍ସସେନା । ଏପରି ଦୈନିକ ବାଲି ଖାଇବା ତାଙ୍କର ଏକ ଅଭ୍ୟାସରେ ପରିଣତ ହୋଇଯାଇଛି । ଅନ୍ୟମାନେ ଯେପରି ପାନମସଲା ଖାଇଥାନ୍ତି, ସେହିପରି ସେ ଦୈନିକ ମୁଠା ମୁଠା ବାଲି ଖାଇଥାନ୍ତି ବୋଲି କୁହନ୍ତି । ବାଲି ଖାଇବା ଦ୍ବାରା ତାଙ୍କୁ ବହୁତ ଖୁସି ମିଳିଥାଏ । ନିଜ ଅଞ୍ଚଳରୁ ଆସି ଗତ ୧୦ରୁ ୧୨ ବର୍ଷ ଧରି ହରିଲାଲ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ ଲଉଡିଗା ପଞ୍ଚାୟତ କୀର୍ତ୍ତିପୁର ଗ୍ରାମରେ ଏକ କିଆଫୁଲ ଭାଟିରେ ଶ୍ରମିକ ଭାବରେ ସେ କାର୍ଯ୍ୟ କରି ଆସୁଛନ୍ତି । ଖାଦ୍ୟ ଖାଇବା ପରେ ହେଉ କି ପୂର୍ବରୁ ସେ ମୁଠାଏ ଲେଖାଏଁ ବାଲି ଖାଇଲେ ହିଁ ତାକୁ ଆତ୍ମତୃପ୍ତି ମିଳିଥାଏ । ଏପରିକି ପୂର୍ବରୁ ହରିଲାଲ ନିଜ ଗ୍ରାମରେ ଗଙ୍ଗା ନଦୀକୂଳ ବାଲି ଖାଉଥିବାବେଳେ ଏଠାରେ ସମୁଦ୍ରର ବାଲି ଖାଉଥିବା କହିଛନ୍ତି । ଏପରିକି ବର୍ଷା ପୂର୍ବରୁ ସେ ବାଲି ଖାଇବା ପାଇଁ ଘରେ ବସ୍ତା ବସ୍ତା ବାଲି ଆଣି ସଂଗ୍ରହ କରି ରଖିଥାନ୍ତି । ପୂର୍ବରୁ ଆହୁରି ଅଧିକ ପରିମାଣର ବାଲି ଖାଇ ଆସୁଥିଲେ । ହେଲେ ବର୍ତ୍ତମାନ ତାହା ବହୁ ମାତ୍ରାରେ କମିଯାଇଛି ବୋଲି କୁହନ୍ତି ହରିଲାଲ। ଏଥିପାଇଁ ତାଙ୍କୁ କେବେ କୌଣସି ରୋଗ ହୋଇନାହିଁ । ସେପଟେ ହରିଲାଲଙ୍କୁ ଦୀର୍ଘ ୧୨ ବର୍ଷ ଧରି ଏପରି ବାଲି ଖାଉଥିବା ଦେଖି ଆସୁଛନ୍ତି ଅଞ୍ଚଳ ବାସିନ୍ଦା । ପ୍ରଥମେ ପ୍ରଥମେ ଗ୍ରାମବାସୀ ଏହାକୁ ଦେଖି ଏକ ପ୍ରକାର ତାଜୁବ ହୋଇପଡ଼ିଥିଲେ । ହେଲେ ନିଜେ ହରିଲାଲ ଦୈନିକ ବାଲି ଖାଉଥିବା ଯୋଗୁଁ ସ୍ଥାନୀୟ ଲୋକେ ବାଲି ଆଣି ଦେଉଥିବା କହିଛନ୍ତି । ଦୀର୍ଘ ବର୍ଷ ଧରି ଏଭଳି ବାଲି ଖାଇ ତାଙ୍କ ଦିନ ବିତିଯାଉଛି । ତାଙ୍କ ଶରୀର ଗଠନ ପ୍ରଣାଳୀ ସମ୍ପର୍କରେ ଜାଣିବା ପାଇଁ ସ୍ଥାନୀୟ ଲୋକେ ଆଗ୍ରହ ପ୍ରକାଶ କରିଛନ୍ତି । ଏଥିଯୋଗୁଁ ହରିଲାଲଙ୍କୁ ଡାକ୍ତର ଟିମ୍ ଅନୁଧ୍ୟାନ କରାଇବାର ଆବଶ୍ୟକତା ରହିଥିବା ଚର୍ଚ୍ଚା ହେଉଛି।କିଛି ବର୍ଷ ପୂର୍ବେ ତାଙ୍କ ନିଜ ଗାଁରେ ରାହୁଥିଲାବେଳେ ତାଙ୍କ ଶରୀରରେ ପୀଡା ଅନୁଭବ କରୁଥିଲେ ବହୁ ଉପଚାର କଲା ପରେ ବି କିଛି ଫରକ ପଡିନଥିଲା,ଜଣେ ବୃଦ୍ଧ ଲୋକଙ୍କ ପରାମର୍ଶ କ୍ରମେ ସେ ବାଲି ଖାଇବା ଆରମ୍ଭ କଲେ ଏବଂ ତାଙ୍କ ଦେହର ପୀଡା କମିଯାଇଥିଲା ସେବେଠାରୁ ସେ ବାଲି ଖାଇବା ଅଭ୍ୟାସ କରିଥିଲେ।ଡାକ୍ତରଙ୍କ କହିବା କଥା ଏହା ଏକ ମାନସିକ ବିକାର।ଶୀଘ୍ର ଯଦି ସେ ଏଥିରୁ ନିବୃତ ନହୁଅନ୍ତି ତାହାହେଲେ ଭବିଷ୍ୟତରେ ଅନେକ ଜଟିଳ ରୋଗର ଶିକାର ହେବେ। ରିପୋର୍ଟ:ନୀକୁଞ୍ଜବିହାରୀ ପଟ୍ଟନାୟକ,ପ୍ରାଇମ ଓଡିଶା ନିଉଜ |