![]() ନବରଙ୍ଗପୁର:ଯାନ୍ତ୍ରିକ ଖେଳଣାର ଘୁଁ ଘୁାଁ ଶବ୍ଦରେ ଅତୀତର ପିଲାଖେଳ ଆଜି ବିଲୁପ୍ତ ପ୍ରାୟ । ଯେଉଁ ପାରମ୍ପରିକ ଖେଳ ଦ୍ୱାରା ପିଲାମାନଙ୍କ ଶାରିରିକ,ମାନସିକ ଓ ବୌଦ୍ଧିକ ବିକାଶ ସାଧୀତ ହେଉଥିଲା, ବର୍ତ୍ତମାନର ପିଲାଙ୍କ ପାଇଁ ଏବେ ତାହା ମୁଲ୍ୟହୀନ । ଆଜିର ଇଣ୍ଟରନେଟ ଅନଲାଇନ ଭିଡିଓ ଗେମ ର ଇନ୍ଦ୍ରଜାଲ ଧୀରେ ଧୀରେ ଜନମାନସରୁ ଅପସରେଇ ନେଉଛି, ସେଇ ବାଲ୍ୟକ୍ରୀଡାଦିର ଅନୁପମ ଛଟା । ଯୁଗର ପରିବର୍ତ୍ତନ ସହିତ ଖେଳିବା ପାଇଁ ପିଲାଙ୍କୁ ବାହାରକୁ ଛାଡିବା ସକାଶେ ଅଭିଭାବକମାନେ ଅମଙ୍ଗ ହେବା ଏବଂ ପିଲାମାନଙ୍କୁ ଖେଳକୁଦ ଅପେକ୍ଷା ପାଠପଢା ଉପରେ ଅଧିକା ବୋଝ ଲଦି ଦେବା ବର୍ତ୍ତମାନ ପ୍ରାୟ ସମସ୍ତଙ୍କ ଘରେ ଦେଖିବାକୁ ମିଳୁଛି । ଫଳରେ, ଉତ୍ତମ ନାଗରିକଟେ ହେବାର ସମ୍ଭାବନା ତ ରହୁଛି କିନ୍ତୁ ଉତ୍ତମ ଖେଳାଳିଙ୍କ ଅଭାବ ଦେଖା ଦେବାରେ ଲାଗିଛି । ବର୍ଷ କୁ ଥରେ ଖରାଛୁଟି ହୋଇଥାଏ | ଏହି ଖରାଛୁଟିକୁ ସବୁ ପିଲା ଅନେଇ ବସିଥାନ୍ତି । ବର୍ଷକ ଯାକର ପାଠପଢାର ବ୍ୟସ୍ତତା ପରେ କିଛିଦିନ ମଉଜରେ କଟାଇବାର ଅଭିଳାଶ ପୋଷଣ କରିଥାନ୍ତି । କେହି କେହି ମାମୁଁ ଘରକୁ ଯିବା ପାଇଁ ଉଚ୍ଛନ୍ନ ଥାଏ ତ ଆଉ କେହି ଖେଳ କସରତରେ ସମୟ କଟାଇବାର ଅଭିଳାସ କରିଥାନ୍ତି । ହେଲେ ଆଜି ସେଇ ହସଖୁସି, ଖେଳକୁଦ ଆଉ ଦେଖିବାକୁ ମିଳୁନାହିଁ । ଖରାତରା ନ ମାନି କବାଡି, ଫୁଟବଲ, ଭଲିବଲ, ବାସ୍କେଟ ବଲ କିମ୍ବା କ୍ରିକେଟ ର ନିଶାରେ ଧୂଳିରେ ଗଡୁଥିବା ବି ଦେଖିବାକୁ ମିଳୁନାହିଁ । ସେହିଭଳି ବର୍ଷାଦିନେ ବହିଯାଉଥିବା ପାଣିକୁ ବନ୍ଧେଇ ଅମୃତଭଣ୍ଡା ନଳୀରେ ଆଜି କେହି ଛାଡୁ ନାହାନ୍ତି କି ସେହି କାଗଜ ଡଙ୍ଗା ବି ଭସାଉନାହାନ୍ତି । ବଦଳି ଗଲାଣି ବର୍ତ୍ତମାନ ର ପିଲାଙ୍କ ଖେଳ । ଲୁଚକାଳି, ବୋହୁଚୋରି, ଗିଲିଦଣ୍ଡା ବା କେଳଖେଳ, ନଟୁ, ଡାଳ ମାଙ୍କୁଡି, ଗୁଲି, ରୁମାଲ ଚୋରି, ଡିଆସିଲ କାର୍ଡ ଭଳୀ ପାରମ୍ପରିକ ଖେଳ ଆଜି ହଜିଗଲାଣି । ପୂର୍ବେ ଗାଁ ଦାଣ୍ଡରେ ପିଲାଟିଏ ଧୁଳି ଧୁସରିତ ହୋଇ ଅନ୍ୟ ପିଲାଙ୍କ ସହ ଖେଳିଲେ ତାହା ସ୍ମରଣ ଶକ୍ତି ବଢିବା ସହ ପିଲାଟିର ସ୍ୱଜନଶୀଳତା ବଢେ ବୋଲି ବୟସ୍କ ମାନେ କହୁଥିଲେ । ହେଲେ, ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବିପ୍ଲବରେ ଅଭିମନ୍ତ୍ରିତ ଆଜିର ଅବିଭାବକ ଓ ପିଲାଙ୍କ ମଧ୍ୟରେ ଆଉ ପାରମ୍ପରିକ ଖେଳର ମଧୁରତା ହିଁ ନାହିଁ । କେତେକ ପାରମ୍ପରିକ ଖେଳକୁ ଟିକେ ମନେ ପକାଇବା । ଗୁଲି ଖେଳ :- ଏହି ଖେଳରେ ପିଲାମାନେ କାଚ ଅବା ହାଡ ଗୁଲିକୁ ଦୁଇ ଆଙ୍ଗୁଠିରେ ଧରି ବସିକି ଅବା ଛିଡା ହୋଇ ଫୋପାଡନ୍ତି । ଗୁଲିଟି ଗଡି ଗଡି ଯାଇ ନିର୍ଦ୍ଧାରିତ ଗାତରେ ପଶିବ । ଏଥିପାଇଁ ପଏଣ୍ଟ ମିଳିବ । ପୁଣି ଭୁମିରେ ଗୋଲକାଟି ସେତିରେ ପଇସା ଅବା ବାଟି ରଖି ଅନ୍ୟ ବାଟି ସାହାର୍ଯ୍ୟରେ ବାଡେଇ ବାହାର କରିବାକୁ ପଡେ । ଲୁଚକାଳି :- ଏହି ଖେଳରେ କେତେ ଜଣ ଚାହିଁବେ, ସେତେ ଜଣ ଖେଳି ପାରିବେ । ଯିଏ ଚୋର ହେବ, ସିଏ ଅନ୍ୟମାନଙ୍କୁ କୋଜିବା ଖୋଜୁ ଖୋଜୁ ଯଦି ସମସ୍ତଙ୍କୁ ପାଇଲା ତେବେ ପ୍ରଥମେ ଯାହାକୁ ପାଇଥିବ, ସେ ପୁଣି ଖୋଜିବା ଆରମ୍ଭ କରିବ । ବାଡିଡିଆଁ :- ଏହି ଖେଳ ଦୁଇ ମୁଣ୍ଡରେ ଦୁଇଟି ଗାର କଟା ହେବ । ସବୁ ପିଲାଙ୍କହାତରେ ଥିବ ଗୋଟାଏ ଲେଖାଁଏ ବାଡି । ଜଣକ ପରେ ଜଣେ ଧାଇଁକି ବାଡିକି ଡେଇଁବେ । ଯିଏ ଯେତେ ଦୂରକୁ ଡେଇଁବେ, ସିଏ ସେପଟେ ମୁଖ୍ୟ ଗାର ପାଖକୁ ପାଖେଇ ଯାଉଥିବେ । କେଲିଖେଳ ବା ଗିଲି ଦଣ୍ଡା,ଏହି ଖେଳ ଦୁଇଟି କାଠିରେ ହୋଇଥାଏ। ଗୋଟିଏ ଛୋଟ କାଠି କୁ କେଲିକୁହାଯାଏ ଓ ଅନ୍ୟଟି ଏକ ହାତ ଲମ୍ବର କାଠି । ଏକ ଗାତ ଉପରେ ଏକ ଛୋଟ କାଠି (କେଲି)କୁ ରଖି ବଡ କାଠିରେ ଦୂରକୁ ଛଟାଯାଏ । ଖେଳଟି ଯେତିକି ମଜାଦାର, ସେତିକି ବିପଦ ମଧ୍ୟ । କିନ୍ତୁ ଦୁଃଖର ବିଷୟ ଏବେ ଏହିସବୁ ଖେଳ ସମ୍ପୂର୍ଣ୍ଣ ଲୋପ ପାଇଲାଣି । ରିପୋର୍ଟ:ରବିନାରାୟଣ ମହାନ୍ତି,ପ୍ରାଇମ୍ ଓଡିଶା ନିୟୁଜ |