![]() କୋରାପୁଟ:ସ୍ଥାନୀୟ ସର୍କିଟ ହାଉସ ଠାରେ କୋଟିଆ ବିବାଦର ସମାଧାନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ତଥା କୋରାପୁଟ ଜିଲ୍ଲା ବିଜେଡି ସଭାପତି ଇଶ୍ଵର ଚନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜଯପୁର ବିଧାୟକ ତାରା ପ୍ରସାଦ ବାହିନୀପତି ,କୋରାପୁଟ ବିଧାୟକ ରଘୁରାମ ପଡାଲ , ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ , ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ଓ ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରି ବିଭିନ୍ନ ପ୍ରସ୍ତାବ ରଖିଥିଲେ। କୋଟିଆ ସହ ଉଭୟ ରାଜ୍ୟର ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବାରୁ ଏହାକୁ କମିଟି ସ୍ବାଗତ କରିବା ସହ ଏନେଇ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ। ଦୁଇ ରାଜ୍ୟର ମୁଖ୍ୟ ସଚିବଙ୍କୁ ସର୍ବଦଳୀୟ କମିଟି ସଦସ୍ୟ ସାକ୍ଷାତ କରିବେ ବୋଲି ପ୍ରସ୍ତାବ ରହିଥିବା ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ସୂଚନା ଦେଇଛନ୍ତି।ଜୟରାମ ପାଙ୍ଗୀଙ୍କ ନେତୃତ୍ୱରେ କମିଟି ସଦସ୍ୟ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ସାକ୍ଷାତ କରି କୋଟିଆ ବିବାଦର ସମାଧାନ ନିମନ୍ତେ ଏକ କମିଶନ ଗଠନ କରିବାକୁ ପ୍ରସ୍ତାବ ରଖିବେ ବୋଲି ସେ ପ୍ରକାଶ କରିଛନ୍ତି। ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ସମୟରେ ଆନ୍ଧ୍ରପ୍ରଦେଶର ଅଧିକାରୀ ମାନେ କୋଟିଆ ଅଞ୍ଚଳକୁ ପ୍ରବେଶ କରି ପଟ୍ଟା ବାଣ୍ଟିବା ଘଟଣାକୁ ସର୍ବଦଳୀୟ କମିଟି ନିନ୍ଦା କରିଥିବା ଜଯପୁର ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରକାଶ କରିଛନ୍ତି। ଆନ୍ଧ୍ରପ୍ରଦେଶ ଅଧିକାରୀ କୋଟିଆରେ ଅନୁପ୍ରବେଶକୁ ବନ୍ଦ ରଖିବା ପରେହିଁ ଦୁଇ ମୁଖ୍ୟ ସଚିବ ସ୍ତରରେ ଆଲୋଚନା କରାଯାଉ ବୋଲି ଶ୍ରୀ ବାହିନୀପତି ପ୍ରକାଶ କରିଛନ୍ତି। କୋଟିଆ ବିବାଦର ସମାଧାନ ପାଇଁ ଆନ୍ଧ୍ର ପ୍ରଦେଶର ଆନ୍ତରିକତା ନାହିଁ ବୋଲି ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ପ୍ରକାଶ କରିଛନ୍ତି। କୋଟିଆରେ ଥିବା ଖଣିଜ ସଂପଦ ହାତେଇବା ଆନ୍ଧ୍ର ପ୍ରଦେଶର ଉଦ୍ଦେଶ୍ୟ ବୋଲି ସେ ସୂଚନା ଦେଇଛନ୍ତି। ଦୁଇ ମୁଖ୍ୟମନ୍ତ୍ରୀ କୋଟିଆକୁ ନେଇ କଣ ଆଲୋଚନା କଲେ ତାହା ଆମେ ଜାଣି ପାରିଲୁ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।ଉଭୟ ରାଜ୍ୟର ଭାଇଚାରାକୁ ଦୃଷ୍ଟିରେ ରଖି ଆଗକୁ ଥିବା ପଞ୍ଚାୟତ ନିର୍ବାଚନରେ କୋଟିଆ ପଞ୍ଚାୟତରେ ଭୋଟ ଗ୍ରହଣ ବନ୍ଦ ରଖିବାକୁ କମିଟି ପ୍ରସ୍ତାବ ରଖିଥିବା ସେ ପ୍ରକାଶ କରିଛନ୍ତି। ଏହି ବୈଠକରେ କୋରାପୁଟ ଓକିଲ ସଂଘ ସଭାପତି ଅଜିତ ପାତ୍ର, ଓକିଲ ପି.କେ. ପାଢୀ,ଜିଲ୍ଲାପରିଷଦ ସଦସ୍ୟା ପାର୍ବତୀ ମସ୍ତି , ବିଜେଡି ନେତା ସୁରେଶ ପଟ୍ଟନାୟକ, ଦିଲିପ ରଥ,ସୁବାଷ ସାହୁ, ଲଲାଟ ରଞ୍ଜନ ସେଠୀ, ପିଣ୍ଟୁ ସାହୁ ,ବରିଷ୍ଠ ସାମ୍ବାଦିକ କୀର୍ତ୍ତି ଚନ୍ଦ୍ର ସାହୁ,ବିଦ୍ୟାଧର ଚୌଧୁରୀଙ୍କ ସହ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ । ରିପୋର୍ଟ:ମଦନ ମୋହନ ସାହୁ,କୋରାପୁଟ. |