![]() ଏକ ଅପ୍ରତ୍ୟାଶିତ ରାଜନୈତିକ ଘଟଣାକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଶନିବାର ଇସ୍ତଫା ଦେଇଛନ୍ତି। ୨୦୨୨ ଡିସେମ୍ବରରେ ରାଜ୍ୟ ବିଧାନସଭା ନିର୍ବାଚନ ଥିବାବେଳେ ଏହାର ୧୫ ମାସ ପୂର୍ବରୁ ରୂପାନୀଙ୍କ ଇସ୍ତଫାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଗତମାସରେ ରୂପାନୀଙ୍କ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟକାଳକୁ ୫ ବର୍ଷ ପୂରିଥିଲା। ଆଜି ସେ ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଇସ୍ତଫା ଦେବାପରେ ରୂପାନୀ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବା ପାଇଁ ଦଳ ସୁଯୋଗ ଦେଇଥିବାରୁ ସେ ବିଜେପି କେନ୍ଦ୍ରୀୟ ନେତୃବୃନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ କୃତଜ୍ଞ। ରୂପାନୀ କହିଛନ୍ତି, ଏବେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ନୂଆ ଉତ୍ସାହ ଏବଂ ନୂଆ ଶକ୍ତି ସହ ଗୁଜରାଟ ବିକାଶର ଯାତ୍ରା ଆରମ୍ଭ ହେବ। ତେବେ ସେ ବିଜେପିର ଜଣେ ନିଷ୍ଠାପର କର୍ମୀ ଭାବେ କାମ ଜାରି ରଖିବେ। ଦଳ ତାଙ୍କୁ ଯେଉଁ ଦାୟିତ୍ବ ଦେବ ସେ ତାହା ଗ୍ରହଣ କରିବେ ବୋଲି କହିଛନ୍ତି। ସମୟକ୍ରମେ ଦଳର ବିଭିନ୍ନ କାର୍ଯ୍ୟକର୍ତ୍ତାଙ୍କ ଦାୟିତ୍ବ ବଦଳୁଛି ଏବଂ ଏବେ ତାଙ୍କୁ ମଧ୍ୟ ନୂଆ ଦାୟିତ୍ବ ନିର୍ବାହ କରିବାକୁ ପଡ଼ିବ ବୋଲି ରୂପାନୀ କହିଛନ୍ତି। ଗୁଜରାଟରେ ରୂପାନୀଙ୍କ ନେତୃତ୍ବରେ ବିଜେପି ପାଇଁ ସୁଦୃଢ଼ ଜନ ସମର୍ଥନ ଭିତ୍ତି ତିଆରି ନହେବା ଏବଂ କୋଭିଡ୍ ମୁକାବିଲାରେ ତାଙ୍କର ଦୁର୍ବଳ ରଣନୀତି ପାଇଁ ହିଁ ତାଙ୍କୁ ଇସ୍ତଫା ଦେବାକୁ କୁହାଗଲା ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ କୌଣସି ପଟିଦାର ନେତାଙ୍କୁ ଏବେ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବା ପାଇଁ ମଧ୍ୟ ବିଜେପି ଯୋଜନା କରୁଛି। ରାଜ୍ୟରେ ଆଗୁଆ ନିର୍ବାଚନ ନେଇ କୌଣସି ସମ୍ଭାବନା ନଥିବାରୁ ଏବେ ଦଳଏକ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତ କରିବ ଏବଂ ରାଜ୍ୟ କ୍ୟାବିନେଟ୍ରେ ବଡ଼ ଅଦଳବଦଳ ହେବ ବୋଲି ଜଣାପଡ଼ିଛି।। ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ ନୂଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ସେହିପରି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଗୁଜରାଟ ବିଜେପି ସଭାପତି ସିଆର୍ ପାଟିଲ୍ଙ୍କ ନାମ ବି ତାଲିକାରେ ଥିବା କୁହାଯାଉଛି। ନୂଆଦିଲ୍ଲୀ: ୬ ମାସରେ ବିଜେପି ଶାସିତ ରାଜ୍ୟର ଚତୁର୍ଥ ମୁଖ୍ୟମନ୍ତ୍ରୀ ଭାବେ ବିଜୟ ରୂପାନୀ ଆଜି ଇସ୍ତଫା ଦେଇଛନ୍ତି। ପୂର୍ବରୁ ଜୁଲାଇ ୩ରେ ତିରଥ ସିଂହ ରାୱତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଶପଥ ଗ୍ରହଣ କରିବାର ମାତ୍ର ୬ ମାସ ମଧ୍ୟରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ। ମାର୍ଚ୍ଚ ୧୦ରେ ତିରଥ ସିଂହ ରାୱତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତ୍ରିବେନ୍ଦ୍ର ସିଂହ ରାୱତଙ୍କ ସ୍ଥାନରେ ସେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତିରଥଙ୍କ ପରେ ପୁଷ୍କର ସିଂହ ଧାମୀ ଜୁଲାଇ ୪ ତାରିଖରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହେଲେ। ଏହାପରେ ଜୁଲାଇ ୨୬ ତାରିଖରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ତାଙ୍କ ଇସ୍ତଫା ଘୋଷଣା କଲେ। ଆଜି ରୂପାନୀଙ୍କ ଇସ୍ତଫା ଗୁଜରାଟ ରାଜନୀତିକୁ ସରଗରମ କରିଛି। ଏବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ବିଚାରବିମର୍ଶ ଜାରି ରହିଛି। ଯେଉଁ ପ୍ରମୁଖ ନେତା ମୁଖ୍ୟମନ୍ତ୍ରୀ ହେବା ତାଲିକାରେ ଅଛନ୍ତି ସେମାନେ ହେଉଛନ୍ତି ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ, ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ଆର୍ସି ଫାଲ୍ଦୁ, ଗୁଜରାଟ ବିଜେପି ମୁଖ୍ୟ ସିଆର ପାଟିଲ ଏବଂ ରାଜ୍ୟ ବିଜେପି ସଭାପତି ଗୋବର୍ଦ୍ଧନ ଜାଡ଼ାଫିଆ। ତେବେ ନୀତିନ ପଟେଲ୍ ଏବଂ ସିଆର୍ ପାଟିଲ୍ଙ୍କ ମଧ୍ୟରୁ ଜଣେ ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ବହୁତ ଅଧିକ ରହିଛି। ରାଜ୍ୟରେ ପଟିଦାର ସଂପ୍ରଦାୟର ବିଶାଳ ଭୋଟ୍ ବ୍ୟାଙ୍କ୍କୁ ଦୃଷ୍ଟିରେ ରଖି ବିଜେପି ନିଷ୍ପତ୍ତି ନେବ ବୋଲି ଚର୍ଚ୍ଚା ହେଉଛି। ବିଜୟ ରୂପାନୀଙ୍କ ଇସ୍ତଫା ପରେ ଆପ୍ କହିଛି ଯେ ଗୁଜରାଟ୍ରେ ଆପ୍ର ଶକ୍ତି ବୃଦ୍ଧି ଯୋଗୁଁ ବିଜେପିର ଭୟ ବଢ଼ିଛି। ବିଜେପି ଏହାର ମୁଖ୍ୟମନ୍ତ୍ରୀଙ୍କୁ ହଟାଇବାକୁ ବାଧ୍ୟ ହୋଇଛି। ଆପ୍ ବିଜେପିକୁ ପଛରେ ପକାଇ ସୁରାଟରେ ୨୭ ଆସନରେ ଜିତିଥିଲାା। ତେଣୁ ବିଜେପି ନେତୃତ୍ବ ବଦଳାଇବାକୁ ବାଧ୍ୟ ହୋଇଛି ବୋଲି ଆପ୍ ବିଧାୟକ ରାଘବ ଚଢ଼ା କହିଛନ୍ତି। ରୂପାନୀଙ୍କ ଇସ୍ତଫା ପରେ ଆପ୍ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଛି। ଭାରତୀୟ ଯୁବ କଂଗ୍ରେସ ପକ୍ଷରୁ ଆଜି ଏକ ଟ୍ବିଟ୍ କରି କୁହାଯାଇଛି, ନିର୍ବାଚନ ଥିବା ରାଜ୍ୟମାନଙ୍କରେ ଲୋକମାନେ ବିଜେପି ସରକାର ବଦଳାଇବାକୁ ମନସ୍ଥ କରିଛନ୍ତି। କିନ୍ତୁ ବିଜେପି ଲୋକଙ୍କୁ ବିଭ୍ରାନ୍ତି କରିବାପାଇଁ ମୁଖ୍ୟମନ୍ତ୍ରୀ ବଦଳାଇବାରେ ଲାଗି ପଡ଼ିଛି। ସେମାନେ ଯେତେ ମୁଖ୍ୟମନ୍ତ୍ରୀ ବଦଳାଇଲେ ବି କିଛି ହେବନାହିଁ ବୋଲି ଯୁବ କଂଗ୍ରେସ କହିଛି। |