![]() ନୂଆଦିଲ୍ଲୀ: ସ୍ବାଧୀନତା ଦିବସର ମାତ୍ର ତିନିଦିନ ପୂର୍ବରୁ ଭାରତ ଶେଷରେ ଏହାର ଅତ୍ୟାଧୁନିକ ଭୂଚିତ୍ର ଉତ୍ତୋଳନକାରୀ ଉପଗ୍ରହ (ଜିଓ-ଇମେଜିଂ ସାଟେଲାଇଟ୍) ଜିସାଟ୍-୧ ଉତ୍କ୍ଷେପଣ କରିବାକୁ ଯାଉଛି, ଯାହା ସାରା ଦେଶର ଛବି ଦିନକୁ ୪-୫ ଥର ଉତ୍ତୋଳନ କରି ଉପମହାଦେଶର ସୁଷ୍ଠୁ ପରିଚାଳନା କରିବା ସହ ପାକିସ୍ତାନ ଓ ଚୀନ୍ ସୀମା ଉପରେ ବି ନଜର ରଖିପାରିବ। ଶ୍ରୀହରିକୋଟାଠାରେ ଅଗଷ୍ଟ ୧୨ ତାରିଖ ପ୍ରାତଃ ୫ଟା ୪୩ ସମୟରେ ଏହା ଉତ୍କ୍ଷେପଣ ହେବାକୁ ଯାଉଛି। ମହାମାରୀ ଯୋଗୁ ନୂତନ ସିରିଜ୍ ଜିଓ-ସାଟେଲାଇଟ୍ ଉତ୍କ୍ଷେପଣରେ ଅନେକ ବିଳମ୍ବ ହୋଇଛି, ଯେଉଁଗୁଡ଼ିକର ଉଭୟ ବେସାମରିକ ଓ ରଣନୈତିକ ଗୁରୁତ୍ବ ରହିଛି। ଇସ୍ରୋର ଜିଏସ୍ଏଲ୍ଭି-ଏଫ୍ଆଇଓ ରକେଟ୍ ଶେଷରେ ୨,୨୬୮ କେଜି ଓଜନବିଶିଷ୍ଟ ଜିସାଟ୍-୧ (କୋଡ୍ ନାମ ଇଓଏସ୍-୩)କୁ ଭୂ-କକ୍ଷପଥରେ ସ୍ଥାପନ କରିବ। ଚଳିତବର୍ଷ ଏହା ଭାରତର ପ୍ରଥମ ମୌଳିକ ଉପଗ୍ରହ ଉତ୍କ୍ଷେପଣ ହେବ। ଫେବୃୟାରୀ ୨୮ ତାରିଖରେ ଇସ୍ରୋ କେତେକ ଦେଶୀ ଉପଗ୍ରହ ସମେତ ୧୮ଟି ଛୋଟ ଛୋଟ ଉପଗ୍ରହ ଲଞ୍ଚ କରିଥିଲା। ତା’ ସହ ବ୍ରାଜିଲର ମୌଳିକ ଉପଗ୍ରହ ଆମାଜନିଆ-୧କୁ ବି ଉତ୍କ୍ଷେପଣ କରିଥିଲା। ପୃଥିବୀପୃଷ୍ଠରୁ ୩୬,୦୦୦ କିମି ଉପରେ ଭୂସ୍ଥିର-କକ୍ଷପଥରେ ସ୍ଥାପିତ ହେଲାପରେ ଭାରତର ଏହି ଉନ୍ନତ ‘ଆଇ ଇନ୍ ଦ ସ୍କାଇ’ ନିରବଚ୍ଛିନ୍ନ ଭାବରେ ଗୁରୁତ୍ବପୂର୍ଣ୍ଣ ସ୍ଥାନଗୁଡ଼ିକ ଉପରେ ନଜର ରଖିପାରିବ। ପୃଥିବୀ ଯେତିକି ବେଗରେ ବୁଲୁଛି ଏହା ଠିକ୍ ସେତିକି ବେଗରେ ବୁଲିବ। ତେଣୁ ଏହା ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଥିର ରହିବା ପରି ଜଣାପଡ଼ିବ ଏବଂ ପୃଥିବୀର ନିର୍ଦ୍ଦିଷ୍ଟ ବିରାଟ ଅଞ୍ଚଳ ଉପରେ ସର୍ବଦା ନଜର ରଖିପାରିବ। ଏହା ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ସାହାଯ୍ୟ କରିବ। ନିକଟରେ ମହାକାଶ ବିଭାଗ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ, ଇଓଏସ୍-୦୩ ସାରା ଭାରତର ଛବି ଦିନକୁ ୪-୫ ଥର ଉତ୍ତୋଳନ କରିପାରିବ। ବନ୍ୟା ଓ ବାତ୍ୟା ପରିଚାଳନାରେ ମଧ୍ୟ ଏହା ସାହାଯ୍ୟ କରିବ। ଭାରତରେ କେଉଁଠି କେତେ ଶସ୍ୟ ହୋଇଛି ବା ମରୁଡ଼ି ହୋଇଛି, ଭାରତର ଜଙ୍ଗଲ ପରିମାଣ ବଢ଼ୁଛି ନା କମୁଛି, ଜଳ ଓ ସ୍ଥଳଭାଗ ତଥା ପାଣିପାଗ ଅବସ୍ଥା କିପରି ଅଛି ଆଦି ବିଷୟରେ ଏହି ଉପଗ୍ରହ ଆବଶ୍ୟକ ସୂଚନା ଦେଇପାରିବ ବୋଲି ମନ୍ତ୍ରୀ କହିଥିଲେ। ଏହି ଉପଗ୍ରହ ପୂର୍ବରୁ ମାର୍ଚ୍ଚ ୨୮ ତାରିଖରେ ଉତ୍କ୍ଷେପଣ ହେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ସାମାନ୍ୟ ତ୍ରୁଟି ପରିଦୃଷ୍ଟ ହେବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ପରେ ଏହା ଏପ୍ରିଲ୍ ଓ ତା’ପରେ ମେ ମାସରେ ଉତ୍କ୍ଷେପଣ ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ କୋଭିଡ୍-୧୯ ମହାମାରୀ ଯୋଗୁଁ ଇସ୍ରୋ କାର୍ଯ୍ୟକ୍ରମ ବିଳମ୍ବ କରିବାକୁ ବାଧ୍ୟ ହୋଇଥିଲା। ସୂଚନାଯୋଗ୍ୟ ଯେ, ଜିସାଟ୍-୧ ପରେ ସେପ୍ଟେମ୍ବର ମାସରେ ଇଓଏସ୍-୪ ବା ରିସାଟ୍୧ଏ ଉତ୍କ୍ଷେପଣ ହେବାର କାର୍ଯ୍ୟକ୍ରମ ରହିଛି, ଯାହା ସିନ୍ଥେଟିକ୍ ଆପର୍ଚର ରାଡାର (ଏସ୍ଏଆର୍) ଯୁକ୍ତ ଏକ ରାଡାର ଇମେଜିଂ ସାଟେଲାଇଟ୍। |