![]() ୱାସିଂଟନ୍: ଆଫଗାନିସ୍ତାନରେ କୌଣସି ଗୁଳିବିନିମୟ କିଂବା ଆକସ୍ମିକ ଭାବେ ଆହତ ହୋଇ ‘ପୁଲିଜର୍ ପୁରସ୍କାର ବିଜୟୀ ଭାରତୀୟ ଫଟୋ-ସାମ୍ବାଦିକ ଡେନିସ୍ ସିଦ୍ଦିକ୍ବିଙ୍କର ମୃତ୍ୟୁ ଘଟିନାହିଁ। ତାଙ୍କର ପରିଚୟ ଯାଞ୍ଚ କରିବା ପରେ ତାଲିବାନ୍ମାନେ ତାଙ୍କୁ ଅତି ଅମାନୁଷିକ ଭାବେ ହତ୍ୟା କରିଥିବା କଥା ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଏକ ପତ୍ରିକାରେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ ଅଛି। ମୃତ୍ୟୁ ସମୟରେ ୩୮ ବର୍ଷିୟ ସିଦ୍ଦିକ୍ବିଙ୍କୁ ଆଫଗାନିସ୍ତାନରେ କାମ ଦିଆଯାଇଥିଲା। କାନ୍ଦାହାର ସହରର ସ୍ପିନ୍ ବୋଲଦାକ୍ ଜିଲ୍ଲାରେ ଆଫଗାନ ସେନା ଓ ତାଲିବାନଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷର ବିବରଣୀ ସଂଗ୍ରହ କରୁଥିବା ବେଳେ ପୁରସ୍କାର ବିଜୟୀ ସାମ୍ବାଦିକ ଡେନିସ୍ଙ୍କର ମୃତ୍ୟୁ ଘଟିଥିଲା। ‘ୱାସିଂଟନ୍ ଏକ୍ଜାମିନର’ ନାମକ ପତ୍ରିକାରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଆନାୟାସରେ ପାକିସ୍ତାନକୁ ଯାଇ ହେଉଥିବା ସୀମାକୁ ନିୟନ୍ତ୍ରଣ କରିବା ଲାଗି ଆଫଗାନ ସେନା ଓ ତାଲିବାନଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷର ବିବରଣୀ ସଂଗ୍ରହ କରିବା ଲାଗି ଏକ ‘ଆଫଗାନ ନ୍ୟାସ୍ନାଲ୍ ଆର୍ମି ଟିମ୍’ ସହ ସିଦ୍ଦିକ୍ବି ସ୍ପିନ୍ ବୋଲଦାକ୍ ଅଞ୍ଚଳକୁ ଯାଇଥିଲେ। ‘କଷ୍ଟମ୍ ପୋଷ୍ଟ୍’କୁ ଯାତ୍ରା ପଥର ଏକତୃତୀୟାଂଶ ଅତିକ୍ରମ କରିଥିବା ବେଳେ ତାଲିବାନ୍ମାନଙ୍କ ଆକ୍ରମଣ ଯୋଗୁଁ ସେ ‘ଆଫଗାନ ନ୍ୟାସ୍ନାଲ୍ ଆର୍ମି ଟିମ୍’ ଛତ୍ରଭଙ୍ଗ ଦେଇଥିଲେ। ଫଳରେ କମାଣ୍ଡର୍ ଏବଂ ଅଳ୍ପ କେତେଜଣ ଲୋକ ସିଦ୍ଦିକ୍ବିଙ୍କ ଠାରୁ ପୃଥକ୍ ହୋଇଯାଇଥିଲେ। ସିଦ୍ଦିକ୍ବିଙ୍କ ସହ ସେତେବେଳେ ମାତ୍ର ତିନିଜଣ ଆଫଗାନ ସୈନିକ ଥିଲେ। ତାଲିବାନ୍ ଆକ୍ରମଣ ସମୟରେ ସିଦ୍ଦିକ୍ବି ଏକ ‘ସ୍ରାପ୍ନେଲ୍’ ବିସ୍ଫୋରଣରେ ଆହତ ହୋଇଥିଲେ। ତେଣୁକରି, ସେ ଏବଂ ତାଙ୍କ ସହ ଥିବା ସୈନିକମାନେ ସ୍ଥାନୀୟ ମସ୍ଜିଦ୍କୁ ଯାଇ ‘ପ୍ରାଥମିକ ଉପଚାର’ କରାଇଥିଲେ। କିନ୍ତୁ ଏହି ସମୟରେ ଖବର ପ୍ରଘଟ ହୋଇଗଲା ଯେ, ଜଣେ ସାମ୍ବାଦିକ ମସ୍ଜିଦ୍ରେ ଅଛନ୍ତି। ତୁରନ୍ତ ତାଲିବାନ୍ମାନେ ଆସି ତାଙ୍କୁ ଆକ୍ରମଣ କରିଥିଲେ। ସ୍ଥାନୀୟ ତଦନ୍ତ ଅନୁସାରେ, କେବଳ ସିଦ୍ଦିକ୍ବିଙ୍କ ଉପସ୍ଥିତି ଯୋଗୁଁ ହିଁ ତାଲିବାନ୍ମାନେ ମସ୍ଜିଦ୍ ଆକ୍ରମଣ କରିଥିଲେ। ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ତାଲିବାନ୍ଙ୍କ ହାତରେ ଧରାପଡ଼ିବା ବେଳେ ସିଦ୍ଦିକ୍ବି ଜୀବିତ ଥିଲେ। ତାଲିବାନ୍ମାନେ ତାଙ୍କ ପରିଚୟ ଯାଞ୍ଚ କରିବା ପରେ ତାଙ୍କୁ ଏବଂ ତାଙ୍କ ସହ ଥିବା ବ୍ୟକ୍ତିମାନଙ୍କୁ ହତ୍ୟା କରିଥିଲେ। ସେମାନଙ୍କୁ ରକ୍ଷା କରିବାକୁ ଉଦ୍ୟମ କରି କମାଣ୍ଡର୍ ଏବଂ ଟିମ୍ର ବାକି ସୈନିକମାନେ ମୃତ୍ୟୁବରଣ କରିଥିଲେ। ‘ଆମେରିକାନ୍ ଏଣ୍ଟର୍ପ୍ରାଇଜ୍ ଇନ୍ଷ୍ଟିଚ୍ୟୁଟ୍’ର ବରିଷ୍ଠ ଫେଲୋ ଥିବା ଲେଖକ ମାଇକେଲ୍ ରୁବିନ୍ ଲେଖିଛନ୍ତି, ବହୁ ପ୍ରସାରିତ ଗୋଟାଏ ଫଟୋରେ ସିଦ୍ଦିକ୍ବିଙ୍କ ମୁହଁ ଚିହ୍ନି ହେଉଥିବା ବେଳେ ଭାରତ ସରକାରଙ୍କ ସୂତ୍ରରୁ ମୋତେ ମିଳିଥିବା ସିଦ୍ଦିକ୍ବିଙ୍କ ଅନ୍ୟ ଫଟୋ ଏବଂ ଭିଡିଓଗୁଡ଼ିକୁ ମୁଁ ସମୀକ୍ଷା କରି ଜାଣିଲି ଯେ, ତାଲିବାନ୍ମାନେ ତାଙ୍କ ମୁଣ୍ଡ ଚାରିପଟେ ପିଟାପିଟି କରିବା ପରେ ଗୁଳି ମାରି ତାଙ୍କ ଶରୀରକୁ ନାରଖାର କରି ପକାଇଥିଲେ। ଜୁଲାଇ ୧୮ ତାରିଖ ସନ୍ଧ୍ୟାରେ ସିଦ୍ଦିକ୍ବିଙ୍କ ମରଶରୀର ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ଜାମିଆ ନଗରସ୍ଥିତ ତାଙ୍କ ବାସଭବନକୁ ନିଆଯାଇଥିଲା। ପରେ ତାଙ୍କୁ ଜାମିଆ ମିଲ୍ଲିଆ ଇସ୍ଲାମିଆ କବରସ୍ତାନରେ କବର ଦିଆଯାଇଥିଲା। |